web page for every book School , College , Engineering .

Wednesday, October 16, 2024

Karma parba rachana | Meher Sir

Mehersir.in  Karma Parba | Karam Festival | Karma Pooja | Karma Pooja Rachana | Karma parba rachana | Karam Festival Rachana . 


Karma Parba  କରମା ପର୍ବ


ଉପକ୍ରମ 

ଆଦିବାସୀ ବହୁଳ ଓଡ଼ିଶା ରାଜ୍ୟରେ କନ୍ଧ, କୋହ୍ଲ, ସାନ୍ତାଳ, ଶବର, ମୁଣ୍ଡା, ପରଜା, କୋୟା, ଜୁଆଙ୍ଗ ପ୍ରଭୃତି ଜାତିର ଆଦିବାସୀମାନେ ବସବାସ କରନ୍ତି। ପରମ୍ପରା ଅନୁଯାୟୀ ପ୍ରତ୍ୟେକ ଜାତିର ସାମାଜିକ ଚଳଣି ପରସ୍ପରଠାରୁ ପୂରାପୂରି ଅଲଗା ହୋଇ ନ ଥିଲେ ମଧ୍ୟ ଚଳଣିରେ ଭିନ୍ନତା ଲକ୍ଷ୍ୟ କରାଯାଏ। ଏମାନେ ସେମାନଙ୍କର ସମ୍ପ୍ରଦାୟ ମଧ୍ୟରେ ବିଭିନ୍ନ ପର୍ବ ପାଳନ କରିଥାନ୍ତି। ପର୍ବଗୁଡ଼ିକ ମଧ୍ୟରେ ‘କରମା’ ପର୍ବ ଅନ୍ୟତମ। ସମ୍ବଲପୁର, ସୁନ୍ଦରଗଡ଼, ବଲାଙ୍ଗୀର, ମୟୂରଭଞ୍ଜ, ଢେଙ୍କାନାଳ ଆଦି ଅଞ୍ଚଳରେ ବସବାସ କରୁଥିବା। ବିଞ୍ଝାଲ୍ ସମ୍ପ୍ରଦାୟ ଆଦିବାସୀମାନେ ଏହି ପର୍ବ ମହା ଆଡମ୍ବରରେ ପାଳନ କରିଥା’ନ୍ତି।

ପାଳନ -ବିଧ୍


 ‘‘କରମା’’ ପର୍ବ ଭାଦ୍ରବ ମାସ ଶୁକ୍ଳ ଏକାଦଶୀ ତିଥିରେ ପଡ଼େ। ‘‘କରମସାନୀ’’ଙ୍କୁ ଏହି ପର୍ବରେ ପୂଜା କରାଯାଏ। ବିଞ୍ଝାଲ୍ ସମ୍ପ୍ରଦାୟ ଆଦିବାସୀ ମାନେ ଏହି ପର୍ବକୁ ଦୁଇଦିନ ଧରି ପାଳନ କରନ୍ତି। ତୃତୀୟ ଦିନଟି ବିସର୍ଜନ ଦିବସ। କିଛି ଆଦିବାସୀ ସମ୍ପ୍ରଦାୟ ଲୋକ ‘କରମସାନୀ’ଙ୍କୁ ‘କରମ ସାଇଁ’’ ଓ ‘‘କରମ ରାଜୀ’’ ବୋଲି ଆହ୍ୱାନ କରି ପୂଜା କରିଥା’ନ୍ତି । ଆଦିବାସୀମାନଙ୍କର ପୁରୋହିତ ‘ଝାଙ୍କର’ ଏହି ପର୍ବରେ ପୂଜାର୍ଚ୍ଚନା କରନ୍ତି ।
ଏହି ପର୍ବକୁ ପାଳନ କରୁଥ‌ିବା ଆଦିବାସୀ ସମ୍ପ୍ରଦାୟର ଲୋକମାନେ ନୃତ୍ୟଗୀତରେ ବିଭୋର ହୋଇ ‘କରମା’’ ଡାଳ କାଟିବାକୁ ଜଙ୍ଗଲକୁ ଯା’ନ୍ତି। ସେଠାରୁ ‘କରମା’ ଡାଳ ଆଣି ଗ୍ରାମ ମଧ୍ୟରେ ଆୟୋଜିତ ସୁସଜ୍ଜିତ ବେଦୀରେ ପୋତି ପୂଜାର୍ଚ୍ଚନା କରନ୍ତି। ପୁରୋହିତ ଝାଙ୍କର ‘କରମା’ ପୂଜା କରିସାରି କରମାସାନୀଙ୍କ ପାଖରେ ଗ୍ରାମର ମଙ୍ଗଳ ପାଇଁ ଭକ୍ତିପୂତ ପ୍ରାର୍ଥନା କରନ୍ତି। ମଦ ଓ ବିଭିନ୍ନ ମିଠା ପୂଜାରେ ଭୋଗ ହୁଏ। ପୂଜା ସରିବା ପରେ ପୁରୋହିତ ସେଠାରେ ଉପସ୍ଥିତ ଭକ୍ତମାନଙ୍କୁ ‘କରମା’’ ଉପାଖ୍ୟାନ ଶୁଣାନ୍ତି। ସମସ୍ତେ ମନ ଧ୍ୟାନ ଦେଇ ଏହାକୁ ଶୁଣନ୍ତି।

କରମା ଉପାଖ୍ୟାନ


 ଜଣେ ସୌଦାଗର ଥିଲେ। ତାଙ୍କର ସାତ ଝିଅ ଓ ସାତ ପୁଅ। ସୌଦାଗର ବିଦେଶକୁ ବେପାରବଣିଜ କରିବାକୁ ଯା’ନ୍ତି। ଥରେ ବିଦେଶରେ ଭଲ ବେପାରବଣିଜ କରି ଘରକୁ ଫେରିଲାପରେ ବୋଇତ ବନ୍ଦାଇବା ପାଇଁ ଘରକୁ ଖବର ଦେଲେ। ସେତେବେଳେ ‘କରମା ପୂଜା’ ଚାଲିଥିବାରୁ ଘରର ସମସ୍ତେ ସେଠାରେ ଅଟକି ଯାଇଥିଲେ। ବିଶେଷ ବିଳମ୍ବ ହେବାରୁ ସୌଦାଗର ବ୍ୟସ୍ତ ହୋଇ ଘରମୁହାଁ ହେଲେ। ଗାଁ ମଝିରେ ପହଞ୍ଚିଲାବେଳକୁ କରମା ପୂଜାରେ ସମସ୍ତେ ବ୍ୟସ୍ତ ଥିବାର ଦେଖ୍ ରାଗରେ କରମା ଡାଳକୁ ଉପାଡି ଫୋପାଡ଼ି ଦେଲେ। ସେଠାରେ ବାଜୁଥ‌ିବା ବାଜାଗୁଡ଼ିକୁ ଭାଙ୍ଗିଦେଲେ। ସେଠାରେ ଉପସ୍ଥିତ ସମସ୍ତେ ଏପରି କାର୍ଯ୍ୟର ନିନ୍ଦା କଲେ ଓ ‘କରମସାନୀ’ ଏହାକୁ ସହିପାରିବେ ନାହିଁ ଓ ନିଶ୍ଚୟ ଏହାର ଫଳ ସୌଦାଗରଙ୍କ ପାଇଁ ଓ ଗ୍ରାମବାସୀଙ୍କ ପାଇଁ ଅମଙ୍ଗଳ ହେବ ବୋଲି ସେଠାରେ କହିଲେ। ସୌଦାଗର ସେଠାରୁ ରାଗ ତମତମ ହୋଇ ଚାଲିଗଲେ।

କିଛିଦିନ ପରେ ଏହାର ଫଳାଫଳ ସୌଦାଗରଙ୍କୁ ଭୋଗିବାକୁ ପଡ଼ିଲା। ସୌଦାଗରଙ୍କର ବୋଇତଟି ବୁଡ଼ିଗଲା। ସୌଦାଗରଙ୍କର ଗୋରୁଯାକ ଚରିବାକୁ ଯାଇ ଆଉ ଫେରିଲେ ନାହିଁ। ସୌଦାଗରଙ୍କର ନାନା କ୍ଷତି ହେଲା। ଏଥିରେ ସୌଦାଗର ବ୍ୟତିବ୍ୟସ୍ତ ହୋଇ ଜଣେ ଜ୍ୟୋତିଷଙ୍କ ପାଖରେ ପହଞ୍ଚିଲେ।

ଜ୍ୟୋତିଷ ଗଣନା କରି ଦେଖ‌ିଲେ ଯେ ଏହା ପୂଜାକୁ ଅବମାନନା କରିବାର ଫଳ। ସୌଦାଗର ସେତେବେଳେ ନିଜର ଭୁଲ ବୁଝି ପାରିଲେ। ସେ କରମା ପୂଜାଦିନ କରିଥିବା କାଣ୍ଡର ଏହା ଫଳ ବୋଲି ନିଶ୍ଚିତ ହେଲେ। ଏହାପରେ କରମସାନୀଙ୍କ ପାଖରେ ଧାରଣା ଦେଇ, ନିଜର ଭୁଲ୍ ପାଇଁ କ୍ଷମାପ୍ରାର୍ଥନା କଲେ। କରମସାନୀ ସୌଦାଗରଙ୍କ ଉପରେ ପ୍ରସନ୍ନ ହେଲେ। ଏଥର କରମସାନୀଙ୍କର ନିର୍ଦ୍ଦେଶ ଅନୁଯାୟୀ ୭ଟି କରମା ଡାଳ ଆଣି ଘରର ପୁଅଝିଅ ସମସ୍ତେ ସାତ ଦିନ ଉପବାସ ରହି ପୂଜା କଲେ। କରମସାନୀ ପୂଜାରେ ସନ୍ତୁଷ୍ଟ ହେଲେ; ଫଳରେ ସୌଦାଗରଙ୍କର ପୂର୍ବାବସ୍ଥା ଫେରି ଆସିଲା। ପଣ୍ଡିତଙ୍କର ଏପରି କାହାଣୀ ବର୍ଣ୍ଣନା ଦ୍ଵାରା ଆଦିବାସୀ ମହଲରେ କରମସାନୀଙ୍କ ପ୍ରତି ଭକ୍ତିଭାବ ବହୁଗୁଣିତ ହୁଏ ।

ମଉଜ ମଜଲିସ୍ 


‘କରମା’ ଉତ୍ସବ ଆଦିବାସୀ ସମ୍ପ୍ରଦାୟ ଲୋକମାନଙ୍କର ଆନନ୍ଦ ଉତ୍ସବର ଦିନ। ଏମାନେ ସେଦିନ ନୂଆ ବେଶପୋଷାକ ପିନ୍ଧନ୍ତି। ଆଦିବାସୀ ମହିଳାମାନେ ଜଙ୍ଗଲୀ ଫୁଲପତ୍ରରେ ନିଜକୁ ସଜାନ୍ତି। ବେକରେ କାଇଞ୍ଚମାଳିର ହାର ପକାନ୍ତି। ଅନେକେ ପକ୍ଷୀର ପରକୁ ମୁଣ୍ଡରେ ଖୋସନ୍ତି। ବେଶପୋଷାକ, ଫୁଲପତ୍ର, କାଇଞ୍ଚମାଳି ପରିଧାନ କରିସାରିବା ପରେ ଏମାନେ ନାଚଗୀତରେ ମାତିଯା’ନ୍ତି। ବାଜାର ତାଳେ ତାଳେ ସେମାନେ ଗୋଡହାତ ହଲାଇ ନାଚନ୍ତି। ଏ ନୃତ୍ୟ ବଡ଼ ମନୋମୁଗ୍ଧଙ୍କର ହୁଏ। ଏହା ବ୍ୟତୀତ ପୁରାଣ କାହାଣୀକୁ ନେଇ ଠାଏ ଠାଏ ନାଚଗୀତର ଆୟୋଜନ ମଧ୍ୟ କରାଯାଇଥାଏ ।

ଉତ୍ସବର ତୃତୀୟଦିନ ଏହି ଉତ୍ସବର ଶେଷ ଦିନ। ସେହିଦିନ ସକାଳୁ ଗ୍ରାମବାସୀମାନେ ଶୋଭାଯାତ୍ରାରେ କରମା ଡାଳକୁ ଧରି ନିକଟରେ ଥିବା ଜଳାଶୟରେ ବିସର୍ଜନ କରି ଗାଧୁଆପାଧୁଆ ସାରି ଘରକୁ ଫେରନ୍ତି। ଏହାପରେ ଗ୍ରାମରେ ଆୟୋଜିତ ଭୋଜିରେ ଯୋଗଦାନ କରନ୍ତି। ପ୍ରତି ତିନି ବର୍ଷରେ ଥରେ ପାଞ୍ଚ ଦିନ ଧରି କରମା ଉତ୍ସବ ପାଳିତ ହୁଏ। ଆଦିବାସୀମାନେ ପୁରୁଷାନୁକ୍ରମେ ଏହି ଉତ୍ସବ ପାଳନ କରିଆସୁଛନ୍ତି।

ଶେଷ କଥା 


ଓଡ଼ିଶାରେ ବହୁ ଜାତି ଓ ଧର୍ମର ଲୋକ ବସବାସ କରନ୍ତି। ପ୍ରତ୍ୟେକ ଧର୍ମରେ ବିଭିନ୍ନ ପର୍ବ ରହିଛି। ସେହିପରି ବିଭିନ୍ନ ଜାତି ମଧ୍ୟରେ ମଧ୍ୟ ପର୍ବ ପାଳନରେ କିଛିଟା ଭିନ୍ନତା ରହିଛି। ତେଣୁ ପ୍ରତ୍ୟେକ ଜାତିର ପର୍ବରେ ସାମିଲ୍ ହୋଇ ପର୍ବର ଗୁରୁତ୍ଵ ବୁଝିବା ଦରକାର। ବିଶେଷ କରି ଆଦିବାସୀ ପର୍ବଗୁଡ଼ିକର ବିଶେଷତ୍ଵକୁ ଲକ୍ଷ୍ୟ କରି ସେମାନଙ୍କୁ ଉତ୍ସାହିତ କରିବା ସମସ୍ତଙ୍କର ବିଶେଷ କାର୍ଯ୍ୟ ହେବା ଉଚିତ।


No comments:

Post a Comment

Comments