Mehersir.in ବର୍ଷା କାଳୀନ ଦୃଶ୍ୟ | Barsha rutu rachana | Barsha rutu odia essay | ଓଡ଼ିଆ ରଚନା "ବର୍ଷାକାଳୀନ ପ୍ରଭାତ"//Odia essay "Barshakalina pravat | barsa kalina palira drushya essay.
ବର୍ଷାକାଳୀନ ପ୍ରଭାତ
ଉପକ୍ରମ
ଆଷାଢ଼ ଓ ଶ୍ରାବଣ ମାସରେ ବର୍ଷାଋତୁ ରାଜପଣ କରେ। ଏଇ ଦୁଇ, ମାସରେ ସବୁଦିନେ ଯେ ସମାନ ଭାବରେ ବର୍ଷା ହୁଏ, ତାହା ନୁହେଁ। ଦିନେ ଦିନେ ମଧ୍ୟ ବର୍ଷା ଆଦୌ ହୁଏ ନାହିଁ। ତଥାପି ବର୍ଷାକାଳୀନ ପ୍ରଭାତରେ ସାଧାରଣତଃ ଯେଉଁପରି ଅବସ୍ଥା ଦେଖାଯାଏ, ତାହା ହିଁ ଏହି ପ୍ରବନ୍ଧରେ ବର୍ଣ୍ଣନା କରାଯାଇଛି।
ଆକାଶର ଅବସ୍ଥା
ପୂର୍ବ ରାତ୍ରିରୁ ଆକାଶ ମେଘାଚ୍ଛନ୍ନ ଥାଏ ; ତେଣୁ ଫସର ଫାଟିଲା ପରେ ମଧ୍ୟ ଆକାଶ ମଳିନ ଦେଖାଯାଏ। ଚାରିଆଡ଼େ ଫିକାରଙ୍ଗର ମେଘ-ଅନ୍ଧାର ଘୋଟି ରହିଥାଏ। ସୂର୍ଯ୍ୟ ହଠାତ୍ ପୂର୍ବ ଦିଗରେ ଅସ୍ପଷ୍ଟ ଭାବରେ ଦେଖାଦିଅନ୍ତି। ମେଘ ଭିତର ଦେଇ ତାଙ୍କର ମଳିନ କିରଣ ପୃଥିବୀ ଉପରେ ପଡ଼େ। ଅଳ୍ପ କେତୋଟି ମୁହୂର୍ଭ ପରେ ସୂର୍ଯ୍ୟ ପୁଣି ଅଦୃଶ୍ୟ ହୋଇଯା’ନ୍ତି। ଏହି ଲକ୍ଷଣରୁ ବର୍ଷା ହେବ ବୋଲି ଜଣାପଡ଼ିଯାଏ ; କାରଣ ଡାକଋଷି କହିଛନ୍ତି— “‘ହସି ପଶେ, ଉଇଁ ନ ଦିଶେ,
ସଜ ଗୋବରରେ ଅଂସେଇ ବସେ ; ଡାକ ବୋଲେ ସୂତା ନିଶ୍ଚେ ବରଷେ।’
ଆକାଶରୁ ଝିପିଝିପି ହୋଇ ବର୍ଷା ହୁଏ, ଟପ୍ଟପ୍ ହୋଇ ବର୍ଷା ପଡ଼େ ; ପୁଣି ଢୁ ଢୂ ହୋଇ ପାଣି ବର୍ଷିଯାଏ। ତା’ପରେ ମେଘ ଛାଡ଼ିଯାଇ ଆକାଶ ଅଳ୍ପ ନିର୍ମଳ ଦେଖାଯାଏ । କେତେଖଣ୍ଡ ମେଘ ଶୂନ୍ୟରେ ଏଠିସେଠି ଭାସି ବୁଲୁଥା’ନ୍ତି।
ଭୂଇଁ ଉପରର ଅବସ୍ଥା
ବର୍ଷା ଫଳରେ ଭୂଇଁ ଉପରେ କେଉଁଠି କାଦୁଅ, କେଉଁଠି ଖସଡ଼ା, କେଉଁଠି ବହଳିଆ ଓ କେଉଁଠି ସନ୍ତସନ୍ତିଆ ହୋଇଥାଏ । ଏଠିସେଠି ଗୋଳିଆ ପାଣି ମନ୍ଦାଏ ମନ୍ଦାଏ ଜମିରହିଥାଏ । ମାଟି ପିଣ୍ଡାକୁ ବର୍ଷାଛାଟ ମାରିଥିବାରୁ ପୁଳାଏ ପୁଳାଏ ମାଟି ଖସିପଡ଼ିଥାଏ। ପିଣ୍ଡାର ଅଧାଅଧ୍ ସନ୍ତେଇଥାଏ। ଘର ଚାଳସବୁ ଓଦା। ଓଳି ତଳକୁ ଓଦା ନଡ଼ା ମେଞ୍ଚା ମେଞ୍ଚା ହୋଇ ଓହଳି ପଡ଼ିଥାଏ। ଗଛଲତାଗୁଡ଼ିକ ଓଦା । ସାମାନ୍ୟ ପବନରେ ସେଗୁଡ଼ିକ ହଲିଲେ ସେଥିରେ ଜମିଥିବା ବର୍ଷାପାଣି ଟପ୍ଟପ୍ ଖସୁଥାଏ। ପତ୍ର ଓ ଫଳଗୁଡ଼ିକ ଦେହରେ ବର୍ଷାଜଳର ଛିଟାସବୁ ଲାଗିଥାଏ ।
ପଶୁପକ୍ଷୀ |
ବର୍ଷା-ପ୍ରଭାତରେ ପଶୁପକ୍ଷୀ ପ୍ରାୟ ଦେଖାଯାଆନ୍ତି ନାହିଁ। ସେମାନେ ନିଜ ନିଜ ଆଶ୍ରୟସ୍ଥାନରେ ଚୁପ୍ହୋଇ ରହିଥା’ନ୍ତି। କେବଳ ଗୋଟାଏ ଯୋଡ଼ାଏ କୁଆ ଏଠିସେଠି ବସିଥା’ନ୍ତି। ଚାଳ ଉପରେ ବସି ଡେଣାଟେକି ନିଜ ଡେଣା ଭିତରେ ମୁଣ୍ଡ ପୂରାଇ ଖୁମ୍ପୁଥା’ନ୍ତି। ବିଲେଇ ଚୁଲୀମୁଣ୍ଡରେ ଶୋଇ ଉଷୁମ ଟାଣୁଥାଏ । କୁକୁର ଛାଇତଳେ ଥିବା ପାଉଁଶଗଦା କିମ୍ବା ଛଣ ଉପରେ ଶୋଇ ବର୍ଷା ହାଇପାରୁ ନିଜକୁ ରକ୍ଷା କରୁଥାଏ। ଗୋରୁମାନେ ଗୁହାଳ ଭିତରେ ବନ୍ଧା ହୋଇ ରହିଥା’ନ୍ତି ; ଦେଶ ପଦାରେ ପଶୁପକ୍ଷୀଙ୍କର ସ୍ଵର-ଶବ୍ଦ ନ ଥାଏ ।
ମନୁଷ୍ୟ
ବର୍ଷା ପ୍ରଭାତରେ ଘରଣୀମାନେ ଗାଧୁଆସାରି ସନ୍ତସନ୍ତିଆ ଚୁଲୀ ଓ ପିଣ୍ଡାରେ ପୁଣି ଗୋବରପାଣି ଲିପନ୍ତି। ମାଟି ଗୋବର ଏକାଠି ଚକଟି ଠାଏ ଠାଏ ଭୁଶୁଡ଼ି ପଡ଼ିଥିବା ପିଣ୍ଡା-ଧାରଗୁଡ଼ିକୁ ବହଳକରି ଲିପନ୍ତି। କାଦୁଅମାଦୁଅ ନୁଆଁଣିଆ ଗୁହାଳ ଭିତରେ ପଶି ଗାଈମାନଙ୍କର ହେପାଜତ କରନ୍ତି। ବର୍ଷା-ପ୍ରଭାତରେ କୃଷକମାନେ ବିଲକୁ ଯାଇ ବେଉଷଣ ଓ ବଛାବଛିରେ ଲାଗିପଡ଼ନ୍ତି। ସକାଳୁଆ ମେଘୁଆ ପବନ ବାଜି ସେମାନଙ୍କର ସର୍ବାଙ୍ଗରେ ଲୋମ ଟାଙ୍କୁରି ଉଠୁଥାଏ । ପିଠି ଉପରେ ପଡ଼ିଥାଏ ଗୋଟିଏ ଗୋଟିଏ ପଖିଆ। ବର୍ଷା ପ୍ରଭାତରେ ଚାଟଶାଳୀଗୁଡ଼ିକର ଛାତ୍ର-ଉପସ୍ଥାନ ଅଳ୍ପ ହୁଏ ।
ଶେଷ କଥା
ବର୍ଷାକାଳୀନ ପ୍ରଭାତରେ ଉତ୍ସାହ-ଉଦ୍ଦୀପନା ଅବଶ୍ୟ ନ ଥାଏ। ପ୍ରକୃତରେ ଏହି ଅବସ୍ଥାକୁ ଆମେ କଦାପି ଏଡ଼ି ଦେଇ ପାରିବା ନାହିଁ; ତଥାପି ଶରତଋତୁର ସୁଖ ସୌନ୍ଦର୍ଯ୍ୟ କଳ୍ପନାରେ ବିଭୋର ହୋଇ ଆମେ ବର୍ଷା ପ୍ରଭାତର ଜଡ଼ତାରୁ ମୁକ୍ତିଲାଭ କରିପାରିବା।
No comments:
Post a Comment